ଭୁବନେଶ୍ୱର,୨୭/୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ମୋନ୍ଥା । ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଘଣ୍ଟାପ୍ରତି ୧୩ କିମି ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରୀରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ମଧ୍ୟରେ ଗୋପାଳପୁର ଠାରୁ ୮୬୦କିମି ଏବଂ କାକିନାଡ଼ା ଠାରୁ ୭୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୯ ତାରିଖ ଯାଏ ଉପପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।