ଭୁବନେଶ୍ୱର, ୧୮/୧୦: ଅକ୍ଟୋବର ମାସ ଚାଲିଥିବାରୁ ଓଡ଼ିଶାରେ ବାତ୍ୟା ନେଇ ଆଶଙ୍କା ଦେଖାଦେଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତାହା କ୍ରମଶଃ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ମୁହାଁଇବ । ଯାହା ପ୍ରଭାବରେ ୨୧ ତାରିଖରୁ ୨୩ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ଯାଇଛନ୍ତି, ସେମାନେ ୨୧ ତାରିଖ ସୁଦ୍ଧା କୂଳକୁ ଫେରିଆସିବା ଉଚିତ୍ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ଦିନ ପାଇଁ ସତର୍କ ସୂଚନା ଦିଆଯାଇଛି ।