ଭୁବନେଶ୍ୱର,୦୪/୧୦: ଗଭୀର ଅବପାତ ଦାଉ ସାଧିବା ପରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବା ଆଶଙ୍କା । ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ସୁଦ୍ଧା ମୌସୁମୀ ଅଗ୍ରସର ଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ସେପଟେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଅବପାତକୁ ବଦଳିଛି । ଅବପାତ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ ମହାପାତ୍ର ଗଜପତି ଜିଲ୍ଲାର ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି । ପ୍ରାଶାସନିକ ଅଧିକାରୀଙ୍କ ସହ ଭୂସ୍ଖଳନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି ।