ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର,୦୨/୦୮: ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ଜାରି ରହିଛି ବର୍ଷା। ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ରାଜ୍ୟରେ ଏହିଭଳି ପାଗ ଲାଗିରହିବ। ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ଏବେ ପଶ୍ଚିମବଙ୍ଗ, ସିକିମ୍‌ ଓ ସଂଲଗ୍ନ କ୍ଷେତ୍ର ଉପରେ ଅବସ୍ଥିତ। ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ସମଗ୍ର ଓଡ଼ିଶାରେ ଅପରାହ୍ନରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ୫ ତାରିଖ ଯାଏ ରାଜ୍ୟରେ ଏହି ପାଗ ଜାରି ରହିବ ବୋଲି ସୂଚନା ମିଳିଛି।