ଭୁବନେଶ୍ୱର,୨୯/୦୫: ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରିରହିଛି ବର୍ଷା । ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରିହୋଇଛି । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ତେବେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସଏବେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ପର୍ଶ କରିଛି । ଆଉ କିଛି ଦିନ ଭିତରେ ସମଗ୍ର ଓଡ଼ିଶାକୁ ଛୁଇଁବ । ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ଅନୁକୁଳ ରହିଛି ପାଗ । ସାଧାରଣତଃ ଜୁନ ୧୨ତାରିଖ ସୁଦ୍ଧା ରାଜ୍ୟକୁ ମୌସୁମୀର ଆସିଥାଏ । ୧୫ ବର୍ଷ ପରେ ମୌସୁମୀ ରାଜ୍ୟକୁ ଏତେଶୀଘ୍ର ଆସିଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି । ପ୍ରଥମ ଦିନରେ ମୌସୁମୀ ବାୟୁ ସଂପୂର୍ଣ୍ଣ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳରେ ଏହା ସକ୍ରିୟ ହୋଇଛି ।