ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୯/୦୬: ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ତରଫରୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ଜନସମାବେଶରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଯୋଗଦେବେ । ଏନେଇ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏହି ସମାବେଶରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଦିନକୁ ଦିନ ବିଗୁଡୁଥିବା ଆଇନଶୃଙ୍ଖଳା ଓ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ କେନ୍ଦ୍ର କଂଗ୍ରେସ ଗୁରୁତର ସହ ନେଉଥିବା କହିଛନ୍ତି ପିସିସି ସଭାପତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ବିଜେଡ଼ି ବିରୋଧୀ ଦଳରେ ବସିଛି । ହେଲେ ଜନମାନସରେ କଂଗ୍ରେସ ବିରୋଧୀଦଳର ଭୂମିକା ନିର୍ବାହ କରୁଛି । ଖଣି ଦୁର୍ନୀତି, ମହିଳା ହିଂସା, ଚିଟଫଣ୍ଡ ଓ ନିଯୁକ୍ତିକୁ ନେଇ ବାରମ୍ବାର ରାଜରାସ୍ତାରେ ଆନ୍ଦୋଳନ କରୁଛି ଦଳ ।