ଟ୍ରମ୍ପଙ୍କ ଟାରିଫ ବୋମା ପରେ ପୁଟିନ-ଡୋଭାଲ ଭେଟଘାଟ

ନୂଆଦିଲ୍ଲୀ,୦୮/୦୮: ଟ୍ରମ୍ପଙ୍କ ଟାରିଫ ବୋମା ପରେ ପୁଟିନ-ଡୋଭାଲ ଭେଟଘାଟ । ଆମେରିକାର ଶୁଳ୍କ ଚାପକୁ ନେଇ ଆଲୋଚନା । କ୍ରେମଲିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଭାରତ ରୁଷ ଠାରୁ ଲଗାତାର ତେଲ କିଣୁଥିବାରୁ ଆମେରିକା ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲଗାଉଥିବା ବେଳେ ରୁଷ ସହ ସମ୍ପର୍କକୁ ମଜଭୁତ କରୁଛି ଭାରତ । ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଯାହାଫଳରେ ମୋଟ ଆମଦାନୀ ଶୁଳ୍କ ୫୦ ପ୍ରତିଶତରେ ପହଞ୍ଚିଛି । ଏହି ନୂଆ ଶୁଳ୍କ ବ୍ୟବସ୍ଥା ଦୁଇଟି ସୋପାନରେ ଲାଗୁ ହେବ । ପ୍ରଥମ ୨୫ ପ୍ରତିଶତ ବୃଦ୍ଧି ଅଗଷ୍ଟ ୭ରୁ ଲାଗୁ ହୋଇଥିବାବେଳେ, ଦ୍ୱିତୀୟଟି ୨୧ ଦିନ ପରେ ଲାଗୁ ହେବ । ୪ ବର୍ଷ ଧରି ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ମସ୍କୋ ରାଜି ନହେବାରୁ, ରୁଷ ଠାରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ଉପରେ ମଧ୍ୟ ଆମେରିକା କଟକଣା ଲଗାଇବାକୁ ଧମକ ଦେଇଛି ।