ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୨୪/୦୧: ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ । ଆଉ ତାଙ୍କର ଏହି ଭେଟଘାଟ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିଛି । କୁହାଯାଉଛି ଦୁଇ ନେତାଙ୍କ ଭିତରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ବି ହେଇଛି । ତେବେ ଏହି ଭେଟଘାଟକୁ ସୌଜନ୍ୟମୂଳକର ନାଁ ଦିଆଯାଇଥିଲେ ବି, ଏହି ମିଟିଂରେ ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତରେ ଦୁଇ ନେତାଙ୍କ ଭିତରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି । ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ତାହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍‌)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।