ଭୁବନେଶ୍ୱର,୦୩/୦୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ଯିବେ । ସେଥିପାଇଁ ସଜେଇ ହୋଇଛି ବିରଜା କ୍ଷେତ୍ର । ସହରର ଗଳିକନ୍ଦିଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁଠି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଆକର୍ଷଣୀୟ ଫୁଲ ସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିରଜା ମନ୍ଦିର ପରିସର । ସକାଳ ୯ଟା ୩୦ ମିନିଟ୍ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁର ସହରର ପ୍ରଶାସନିକ ଭବନ ପଡ଼ିଆରେ ଅବତରଣ କରିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ଆର୍ଡିସି, ଜିଲ୍ଲାପାଳ, ଏସ୍ପି ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ। ପ୍ରୋଟୋକଲ ଅନୁଯାୟୀ ସେଠାରୁ ରାଷ୍ଟ୍ରପତି କଡ଼ା ସୁରକ୍ଷା ମଧ୍ୟରେ ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚିବେ । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।