ନୂଆଦିଲ୍ଲୀ,୨୦/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉତ୍ତେଜନା ଯୋଗୁଁ ଦେଶରେ ଇନ୍ଧନ ଦର ଆକାଶଛୁଆଁ ହୋଇଛି। ପ୍ରିମିୟମ୍ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୩୦ ପଇସା ବଢ଼ିଥିବା ବେଳେ, ଶିଳ୍ପଭିତ୍ତିକ ଡିଜେଲ ଦରରେ ୨୨ ଟଙ୍କାର ବଡ଼ ଧରଣର ବୃଦ୍ଧି ଘଟିଛି । ଯଦିଓ ସାଧାରଣ ପେଟ୍ରୋଲ ଓ ଡିଜେଲ ଦର ଏବେ ସ୍ଥିର ରହିଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢୁଥିବାରୁ ଭାରତରେ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ତେବେ ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର ହେଉଛି ଯେ, ନର୍ମାଲ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସାଧାରଣ ପେଟ୍ରୋଲ ଦର ସ୍ଥିର ରହିଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଚିନ୍ତା କମିଛି କିନ୍ତୁ ଯଦି ଯୁଦ୍ଧ ଲମ୍ବା ସମୟ ଧରି ଚାଲେ, ତେବେ ଆଗକୁ ନର୍ମାଲ ପେଟ୍ରୋଲ ଦର ମଧ୍ୟ ବଢ଼ିବାର ସମ୍ଭାବନା ରହିଛି।ଅନ୍ୟପଟେ ପେଟ୍ରୋଲ ପରେ ଏବେ ଡିଜେଲ ମୂଲ୍ୟ ବି ବଢିଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢୁଥିବାରୁ ଭାରତରେ ଇଣ୍ଡଷ୍ଟ୍ରିଆଲ୍ ବା ଶିଳ୍ପଭିତ୍ତିକ ଡିଜେଲ ମୂଲ୍ୟରେ ଲିଟର ପିଛା ୨୨ ଟଙ୍କା ବୃଦ୍ଧି କରାଯାଇଛି।