ଭୁବନେଶ୍ୱର, ୩୦/୧୧: ନିର୍ବାଚନରେ ବିଜେଡି କାହିଁକି ହାରିଲା? ସେନେଇ ଆଜି ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରତାପ ଜେନା। ନିର୍ବାଚନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା କାହିଁକି ହାରିଲେ ସେନେଇ ବିଜେଡିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁହଁ ଖୋଲିଛନ୍ତି ପ୍ରତାପ। କ୍ଷମତାରେ ଥିଲାବେଳେ ଅନ୍ଧ ଭାବେ କିଛି କର୍ମୀଙ୍କୁ ଅଖଣ୍ଡ କ୍ଷମତା ଦେଇ ସେ ପସ୍ତେଇଛନ୍ତି ବୋଲି କହିଛନ୍ତି ପ୍ରତାପ। ନିର୍ବାଚନର ୩ଦିନ ପୂର୍ବରୁ ଟଙ୍କା ଖାଇ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଲା । ଆଉ ସେ ସେମାନଙ୍କୁ ଅନ୍ଧ ଭାବେ ବିଶ୍ୱାସ କରି ଅଖଣ୍ଡ କ୍ଷମତା ଦେଇଥିଲେ ବୋଲି ପ୍ରତାପ ଜେନା କହିବା ପରେ ଏହି ଲୋକମାନେ କିଏ ତାକୁ ନେଇ ଚର୍ଚ୍ଚା ବଢିଛି। ଏହି ବନ୍ଧୁମିଳନରେ ପ୍ରତାପ ଜେନା କହିଛନ୍ତି, ଲୋକ ଅତିଷ୍ଟ ହୋଇ ସେମାନଙ୍କ ଉପରେ ରାଗ ସୁଝାଇବା ପାଇଁ ତାଙ୍କୁ ହରାଇଦେଲେ । ହେଲେ ବର୍ତମାନ କିନ୍ତୁ ମାହାଙ୍ଗାରେ ବିକାଶ କାମ ଠପ । ପ୍ରତି ପଞ୍ଚାୟତରେ ୫୦ଲକ୍ଷରୁ ଅଧିକ ଉନ୍ନୟନ ଟଙ୍କା ଖର୍ଚ୍ଚ ହୋଇପାରୁନି। ଉନ୍ନୟନ କାର୍ଯ୍ୟର ତଦାରଖ ମଧ୍ୟ ହେଉନି। ତେବେ ନିଜ କର୍ମୀଙ୍କୁ ବଳ ଦେବାକୁ ପ୍ରତାପ ଜେନା କହିଛନ୍ତି, କିଛି ଦିନ ଧର୍ଯ୍ୟ ଧରନ୍ତୁ ଏ ରଙ୍ଗ ବୋଳା ସରକାର ଭାଙ୍ଗିଯିବ, ଓଡିଶାରେ ପୁଣି ବିଜେଡି ସରକାର ଆସିବ।