ଭୁବନେଶ୍ୱର,୧୭/୧୨: ବର୍ଦ୍ଧିତ ଭତ୍ତା ନେବେ ନାହିଁ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ନିକଟରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ବିଲ୍ ପାରିତ ହୋଇଛି। ହେଲେ ସେ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।ପ୍ରସାଦ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସାମ୍ବିଧାନିକ ବିଧି ବିଧାନ ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ନିଷ୍ପତି ହୁଏ। ଏପରି ସାମ୍ବିଧାନିକ ଅଧିକାରକୁ ଅତି ସଂଯମତା ଓ ସତର୍କତାର ସହ ପାଳନ କରାଯିବା ଉଚିତ୍। କିନ୍ତୁ ଡବଲ ଇଞ୍ଜିନ ସରକାରରେ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକ ମାନଙ୍କ ଦରମା ଓ ଭତ୍ତା ୩ ଗୁଣ ବଢ଼ାଯାଇଛି। ମାତ୍ର ଏହି ବୃଦ୍ଧି ସାଧାରଣ ଲୋକଙ୍କର ହଜମ ହଉନି। ଏ ଦରମା ଓ ଭତ୍ତା ବୃଦ୍ଧିକୁ ମୁଁ ନାପସନ୍ଦ କରୁନି, ମାତ୍ର ଭତ୍ତା କ୍ଷେତ୍ରରେ ରାଜ୍ୟରେ ଅନ୍ୟ ଏକ ବ୍ୟବସ୍ଥା ଅଛି। ଯାହାର କି ଅନୂପାଳନ ହେଉନାହିଁ।