ନୂଆଦିଲ୍ଲୀ, ୨୨/୦୯: ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି, ମଧ୍ୟରାତ୍ରରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ଆଜି ଠାରୁ ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟିକସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଇଥିବା ବେଳେ ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି। ସେପଟେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲା ଚିଠି । ନବରାତ୍ରି ପାଳନର ପ୍ରଥମ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୋଦୀ । ନବରାତ୍ରିର ପ୍ରଥମ ଦିନରୁ ନୂଆ ଜିଏସଟି ସ୍ଲାବ୍ ଲାଗୁ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ସଞ୍ଚୟର ଉତ୍ସବ କହିଥିବା ବେଳେ ସ୍ୱଦେଶୀ ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି । ନୂଆ ଜିଏସଟି ବ୍ୟବସ୍ଥାରେ ବହୁ ଜିନିଷର ଦର ହ୍ରାସ ପାଇଥିବାରୁ ଦେଶର ସବୁ ନାଗିରିକଙ୍କ ସଞ୍ଚୟ ବୃଦ୍ଧି ପାଇବ ଓ ସମସ୍ତେ ଲାଭବାନ ହେବେ। ଚାଷୀ, ମହିଳା, ଯୁବକ, ଗରିବ, ମଧ୍ୟବିତ୍ତ, ବ୍ୟବସାୟୀ ଓ ଲଘୁ ଉଦ୍ୟୋଗୀ ଉପକୃତ ହେବା ସହିତ ଅଧିକ ଅଭିବୃଦ୍ଧି ଏବଂ ନିବେଶକୁ ପ୍ରୋତ୍ସାହିତ କରିବେ । ପ୍ରତ୍ୟେକ ଅଞ୍ଚଳ, ରାଜ୍ୟ ଏବଂ ଦେଶର ପ୍ରଗତି ତ୍ୱରାନ୍ୱିତ ହେବ ବୋଲି ମୋଦୀ ଲେଖିଛନ୍ତି । ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।