ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ଟିପ୍ପଣୀ,ବିହାର ବନ୍ଦ ଡାକରା ଦେଲା ଏନଡିଏ

ନୂଆଦିଲ୍ଲୀ, ୨/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ଟିପ୍ପଣୀର ତୀବ୍ର ପ୍ରତିବାଦ କରି ଏନଡିଏ ବିହାର ବନ୍ଦ ଡାକରା ଦେଇଛି । ମଙ୍ଗଳବାର ପାଟନାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି । ଏନଡିଏ ନେତା ମାନେ କହିଛନ୍ତି ଯେ, ସେପ୍ଟେମ୍ବର ୪ ତାରିଖ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିହାର ବନ୍ଦ ରହିବ ।ଏନଡିଏ ସ୍ପଷ୍ଟ କରିଛି ଯେ, ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବ ନାହିଁ । ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ଆୟୋଜିତ ହେବ । ବିଜେପି ରାଜ୍ୟ ସଭାପତି ଦିଲୀପ ଜୟ ସୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ ଯେପରି ଅପମାନିତ କରାଯାଇଛି , କୋଟି କୋଟି ଲୋକଙ୍କ ଭାବନାକୁ ତାହା ଆଘାତ ଦେଇଛି। ଏନଡିଏର ସମସ୍ତ ସାଂଗଠନିକ ଦଳ ଏହି ଲଜ୍ଜାଜନକ ବୟାନର ଦୃଢ଼ ବିରୋଧ କରିବେ ।