ଭୁବନେଶ୍ୱର,୨୭/୦୯: ଓଡ଼ିଶାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଲେ ମୋଦୀ । ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦୀଙ୍କୁ ସ୍ବାଗତ କରାଯାଇଛି । ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୫୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ । ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ ହେବ । ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ କରିବେ । ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ ହେବ । ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍ କରିବା ସହ ଭୀମ୍ସାର ଓ ଏମ୍କେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ କରିବେ ।