ଭୁଟାନରୁ ଫେରିବା ପରେ ପ୍ରଥମେ ଦିଲ୍ଲୀ ବୋମା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ। ଆଜି ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ । ଯେଉଁଠାରେ ସେ ଦିଲ୍ଲୀ କାର ବୋମା ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନରେ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ କୌଣସି ଷଡଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ। LNJP ହସ୍ପିଟାଲରେ ଆହତମାନଙ୍କୁ ଭେଟିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। ସେ ଡାକ୍ତରଙ୍କ ଦଳ ସହିତ ମଧ୍ୟ କଥା ହୋଇଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି । ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ ରହିଛି ବୋଲି କୁହାଯାଉଛି ।