ନୂଆଦିଲ୍ଲୀ,୧୨/୦୬: ଗୁଜରାଟ ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଥିବା ନେଇ ଖବର ଆସିଛି ।ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଫାୟାର ବିଗ୍ରେଡ୍ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ ବି ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହେଉଛି । ଏୟାର ଇଣ୍ଡିଆ AI-171 ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ରହିଛି ।