ନୂଆଦିଲ୍ଲୀ,୦୮/୧୧: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଘୋଷଣା ହେଲା ତାରିଖ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏନେଇ ସୂଚନା ଦେଇଛନ୍ତି । ଏକ୍ସ ପୋଷ୍ଟ ମାଧ୍ୟମରେ ରିଜିଜୁ ଜଣାଇଛନ୍ତି ଯେ, ଶୀତକାଳୀନ ଅଧିବେଶନ ଡିସେମ୍ବର ୧ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଶୀତକାଳୀନ ଅଧିବେଶନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆଶା କରୁଛି ଶୀତକାଳୀନ ଅଧିବେଶନ ଗଠନମୂଳକ ଏବଂ ଫଳପ୍ରଦ ହେବ, ଯାହା ଆମର ଗଣତନ୍ତ୍ରକୁ ସୁଦୃଢ଼ କରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବ। ସଂସଦର ଏହି ଅଧିବେଶନ ଅନ୍ୟ ଅଧିବେଶନ ଅପେକ୍ଷା କମ୍ ସମୟର ହେବ। ଏହି ଅଧିବେଶନରେ ବିହାର ବିଧାନସଭା ନିର୍ବାଚନର ଫଳାଫଳର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR)ର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ବିରୋଧୀଙ୍କ ବିରୋଧ ଦେଖାଯିବାର ସମ୍ଭାବନା ରହିଛି। ବିରୋଧୀ ଦଳ ଭୋଟର ତାଲିକାରେ ଅନିୟମିତତାକୁ ମଧ୍ୟ ଟାର୍ଗେଟ କରିପାରନ୍ତି।
