ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ନେଲା ଭାରତ । ଗତକାଲି ରାତାରାତି ପାକିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍ । ସେନା ମୁଖ୍ୟଙ୍କ ସହ ଘନଘନ ବୈଠକ ପରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ହମଲା କରିଛି ଭାରତ । ଭାରତର ଆକ୍ରମଣକୁ ଦେଖି ଛାନିଆ ପାକିସ୍ତାନ । ତେଣୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଅର୍ଦ୍ଧ ସାମରିକ ବାହିନୀର ସମସ୍ତ ମୁଖ୍ୟଙ୍କ ଛୁଟି ବାତିଲ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏହାସହ ସେ ଜମ୍ମୁ- କାଶ୍ମୀରର ଲିଉଣ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମା ନିକଟବର୍ତୀ ଅଂଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀ ପରିସ୍ଥିତି ସମୟରେ ଲୋକଙ୍କ ରହିବା ପାଇଁ ସୁରକ୍ଷିତ ସ୍ଥାନ ଭାବେ ବଙ୍କର ପ୍ରସ୍ତୁତ କରିବା ପାଇଁ ଅଧିକାରୀଙ୍କୁ କହିଛନ୍ତି । ସିଏପିଏଫର ମୁଖ୍ୟଙ୍କୁ ଚିଠି ଲେଖି ଛୁଟିରେ ଥିବା ସେନା ଯବାନଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳୀକୁ ଫେରିବାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।