ନୂଆଦିଲ୍ଲୀ, ୧୭/୦୫: ଭାରତରେ ପାକିସ୍ତାନୀ ଗୁପ୍ତଚର ଚିହ୍ନଟ ହୋଇଛନ୍ତି । ସୁରକ୍ଷା ଏଜେନ୍ସିଗୁଡ଼ିକ ପଞ୍ଜାବ ଏବଂ ହରିୟାଣାରୁ ଛଅ ଜଣ ଗୁପ୍ତଚରଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏମାନେ ହରିୟାଣାର କୈଥଲ, ହିସାର, ନୁହ ଏବଂ ପାନିପତ ଏବଂ ପଞ୍ଜାବର ମାଲେରକୋଟଲାରୁ ଗିରଫ ହୋଇଛନ୍ତି । ଏମାନଙ୍କ ଉପରେ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗ ରହିଛି ।ଏହି ଅଭିଯୋଗରେ ସୁରକ୍ଷା ଏଜେନ୍ସି ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀଙ୍କୁ ଗିରଫ କରିଛି । ଏହି ୟୁଟ୍ୟୁବର ୨୦୨୩ ମସିହାରେ ତାଙ୍କ ଟ୍ରାଭେଲ୍ ଚ୍ୟାନେଲ୍ “ଟ୍ରାଭେଲ୍ ୱିଥ୍ ଜୋ”ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ସେ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ । ସେବେଠାରୁ ସେ ଲଗାତାର ଭାବରେ ଭାରତ ବିରୋଧୀ ସୂଚନା ପାକିସ୍ତାନକୁ ପଠାଉଥିଲେ । ନିକଟରେ ଭାରତ ସରକାର ପାକିସ୍ତାନ ହାଇକମିସନର ଅଧିକାରୀ ଦାନିଶଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାନିଶଙ୍କ ନିର୍ଦ୍ଦେଶରେ କାମ କରୁଥିବା ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଜ୍ୟୋତି ରାଣୀଙ୍କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି ।