ନୂଆଦିଲ୍ଲୀ,୧/୦୫:ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି । ବଢ଼ିଲା ଭାରତ ଛାଡ଼ିବାର ସମୟ ସୀମା । ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ବାସୀ । ଆଜି ଥିଲା ବର୍ଡର ବନ୍ଦର ଶେଷ ତାରିଖ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବଦଳେଇଲା ଠିକଣା। ଯେଉଁମାନେ ଅନେକ ବର୍ଷ ଧରି ଆସି ଭାରତରେ ରହୁଥିଲେ, ଭିସା ବାତିଲ ହେବା ପରେ ସେମାନେ ଏବେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ପାସପୋର୍ଟର ଯାଞ୍ଚ ପରେ ଅଟ୍ଟାରୀ ଚେକ୍ ପୋଷ୍ଟ ଦେଇ ଭାରତରୁ ବିଦା ହୋଇଛନ୍ତି ପାକିସ୍ତାନୀ ନାଗରିକ । ତେବେ ଅଟ୍ଟାରୀ ସୀମାରେ ଦେଖିବାକୁ ମିଳିଛି କେତେକ କରୁଣ ଦୃଶ୍ୟ । ସ୍ବାମୀ, ବାପା ମାଆ ଓ ପରିବାରକୁ ଛାଡି ପାକିସ୍ତାନ ଯିବାକୁ ବାଧ୍ୟ ହୋଇଛନ୍ତି କେତେକ ଲୋକ ।