ନୂଆଦିଲ୍ଲୀ,୨୭/୦୫: ଭାରତରେ ବାରମ୍ବାର ଆତଙ୍କୀ ହମଲା କରାଇବା ପରେ ଭାରତ ପଡ଼ୋଶୀ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁନି। ଏମିତିକି ବାଣିଜ୍ୟିକ ଓ କୂଟନୈତିକ ଆଲୋଚନା ଗୋଟିଏ ପ୍ରକାର ଠପ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଖାସ୍ କରି ପହଲଗାମ୍ରେ ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଚୁକ୍ତି ରଦ୍ଦ କରିବା ସହିତ ପାକିସ୍ତାନ ଉପରେ ଅନେକ କଟକଣା ଲଗାଇଛି । ସିନ୍ଧୁ ଚୁକ୍ତି ରଦ୍ଦ ହେବା ପରେ ପାଣି ପାଇଁ ହାହାକାର ସ୍ଥିତି ହେଲାଣି ପାକିସ୍ତାନରେ । ତେଣୁ ତୁରନ୍ତ ଭାରତ ସହ ଆଲୋଚନା କରିବା ସହିତ ସିନ୍ଧୁ ନଈର ପାଣି ନେବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି । ନିଜ ଦେଶର କ୍ଷତି ହେବା ପରେ ଏବେ ଭାରତ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ଚେଷ୍ଟା ଚଳାଉଛି ପାକିସ୍ତାନ । ନିଜର ଇରାନ୍ ଗସ୍ତ ସମୟରେ ସେହେବାଜ୍ କହିଛନ୍ତି, ପଡ଼ୋଶୀ ରାଷ୍ଟ୍ର ସହ ଆମେ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ ଅଛୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମେ ୨୫ ରୁ ମେ ୩୦ ପର୍ଯ୍ୟନ୍ତ ଚାରୋଟି ଦେଶ ଗସ୍ତରେ ଅଛନ୍ତି ପାକିସ୍ତାନ ପିଏମ୍ ।