ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫, ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି

ଭୁବନେଶ୍ୱର,୨୭/୦୬: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା।

ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି ବଡ଼ଠାକୁର । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ ହେବେ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା କରିବେ ଛେରାପହଁରା। ଏହାପରେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ଟଣାଯିବ ରଥ ।

ସେପଟେ ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର । ଜଳ, ସ୍ଥଳ ଓ ଆକାଶମାର୍ଗରୁ ନଜର ରହିଛି । ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷଣ ନଜର ରଖିଛନ୍ତି। ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ। ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି।