ନୂଆଦିଲ୍ଲୀ,୨୯/୦୪: ପହଲଗାମରେ ଆତଙ୍କବଦୀ ଆକ୍ରମଣକୁ ଚାରିଆଡେ ନିନ୍ଦା ହେଉଛି । ଏହାରି ଭିତରେ ଜମ୍ମୁ-କାଶ୍ମୀର ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବୈସରନ ଘାଟିରେ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରର ୧୨ ଟିରୁ ଅଧିକ ରିସୋର୍ଟର୍ସ ଓ ଅଧାରୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । କାଶ୍ମୀର ପ୍ରଶାସନ ତରଫରୁ ଅତି କମରେ ୪୮ ଟି ରିସୋର୍ଟସ୍ ବନ୍ଦ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ପ୍ରସିଦ୍ଧ ବଡଗାମ, ଦୁଧପଥରୀ, ଅନନ୍ତନାଗର ବୈରିନାଗ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଛି ।
ସେପଟେ ଘାଟି ଓ ପାହାଡ ପାଇଁ ପ୍ରସିଦ୍ଧ ଜମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାବଳଙ୍କ ପ୍ରହରା ଆରମ୍ଭ ହୋଇଛି । ପ୍ରଶାସନର କହିବା କଥା ଏଭଳି ସୁରକ୍ଷା ଲୋକଙ୍କ ପାଇଁ କରାଯାଇଛି । ହେଲେ ପରିସ୍ଥିତି ସୁଧୁରିବା ପରେ ପର୍ଯ୍ୟଟକମାନେ ଏସବୁ ସ୍ଥାନକୁ ଯାଇପାରିବେ । ସୂଚନାଯୋଗ୍ୟ ଯେ ପହଲଗାମରେ ଆତଙ୍କୀ ହମଲା ପରେ ଏବେ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ତେଣୁ ସ୍ଥାନୀୟ ବ୍ୟବସାୟୀଙ୍କ ରୋଜଗାର ଉପରେ ଏହାର ବଡ଼ ପ୍ରଭାବ ପଡିଛି ।