ଏଣିକି ଉଚ୍ଚ ମାଧ୍ୟମିକ ସ୍ତରର ପାଠ୍ୟକ୍ରମରେ ସାମିଲ କରାଯିବ ଅପରେସନ୍ ସିନ୍ଦୂରର ଶୌର୍ଯ୍ୟଗାଥା

ଭୁବନେଶ୍ୱର,୨୭/୦୭:  ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ଭାରତୀୟ ସେନା ଦ୍ୱାରା କରାଯାଇଥିବା ଐତିହାସିକ ଅପରେସନ୍ ସିନ୍ଦୂରର ଶୌର୍ଯ୍ୟଗାଥାକୁ ଏଣିକି ଉଚ୍ଚ ମାଧ୍ୟମିକ ସ୍ତରର ପାଠ୍ୟକ୍ରମରେ ସାମିଲ କରାଯିବ । ଏହି ନିଷ୍ପତ୍ତି ପରେ ଦେଶର ଛାତ୍ରଛାତ୍ରୀମାନେ ନିଜ ପାଠ୍ୟପୁସ୍ତକ ମାଧ୍ୟମରେ ସେନାର ଏହି ଗୌରବମୟ ଅଧ୍ୟାୟ ବିଷୟରେ ଜାଣିବାର ସୁଯୋଗ ପାଇବେ । ସୂଚନା ଅନୁଯାୟୀ, ଏନ୍‌ସିଆରଟି ଦ୍ୱାରା ପ୍ରସ୍ତୁତ ହେଉଥିବା ନୂଆ ପାଠ୍ୟପୁସ୍ତକରେ ଏହି ବିଷୟକୁ ସ୍ଥାନ ଦିଆଯିବ । ଏହି ଅଧ୍ୟାୟରେ ‘ଅପରେସନ୍ ସିନ୍ଦୂର’ର ପୃଷ୍ଠଭୂମି, ଏହାର ଆବଶ୍ୟକତା, ଭାରତୀୟ ସେନାର ରଣନୀତି ଏବଂ କିପରି କଠିନ ପରିସ୍ଥିତିରେ ଆମର ବୀର ଯବାନମାନେ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲେ, ତାହାର ବିସ୍ତୃତ ବିବରଣୀ ରହିବ । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ରାଷ୍ଟ୍ରୀୟ ଗୌରବ ଏବଂ ସେନା ପ୍ରତି ସମ୍ମାନ ଭାବନା ଜାଗ୍ରତ କରିବା ।