ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଭାରତ ପାଖରେ ପ୍ରାୟ ୪୦-୪୫ ଦିନର ଅଶୋଧିତ ତୈଳ ଭଣ୍ଡାର ଗଚ୍ଛିତ

ନୂଆଦିଲ୍ଲୀ,୦୪/୦୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ହର୍ମୁଜ୍ ପ୍ରଣାଳୀର ପରିବହନ ମାର୍ଗର ସମ୍ଭାବ୍ୟ ବାଧା ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ଚିନ୍ତା ବଢ଼ାଇଛି। ଯଦି ଏହି ସମୁଦ୍ର ପଥରେ ଯୋଗାଣ ବାଧାପ୍ରାପ୍ତ ହୁଏ, ତେବେ ବିଶ୍ଵ ଶକ୍ତି ବଜାରରେ ବଡ଼ ଅସ୍ଥିରତା ଦେଖାଦେଇପାରେ। ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୪୦-୪୫ ଦିନର ଅଶୋଧିତ ତୈଳ ଭଣ୍ଡାର ଅଛି। ଭାରତରେ ପ୍ରାୟ ୧୦ କୋଟି ବ୍ୟାରେଲ ଅଶୋଧିତ ତୈଳ ମହଜୁଦ ରହିଛି। ଏଥିରେ ରିଫାଇନାରୀ ଭଣ୍ଡାର, ଭୂତଳ ପେଟ୍ରୋଲିୟମ୍ ଭଣ୍ଡାର ଓ ଭାରତକୁ ଆସୁଥିବା ଜାହାଜରେ ଗଚ୍ଛିତ ତୈଳ ଅନ୍ତର୍ଭୁକ୍ତ। ଭାରତ ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଆମଦାନୀ କରୁଥିବା ବେଳେ ଏହି ମୋଟ ଆମଦାନୀର ଅଧାରୁ ଅଧିକ ପଶ୍ଚିମ ଏସିଆରୁ ଆସିଥାଏ, ଯାହାର ଏକ ବଡ଼ ଅଂଶ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରେ। ହାରାହାରି, ଭାରତ ପ୍ରତିଦିନ ପ୍ରାୟ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରେ, ଯାହା ମଧ୍ୟରୁ ପ୍ରାୟ ୨୫ ଲକ୍ଷ ବ୍ୟାରେଲ ଏହି ରାସ୍ତା ଦେଇ ଆସେ । କେପଲରର ପ୍ରମୁଖ ଗବେଷଣା ବିଶ୍ଳେଷକ ସୁମିତ ରିଟୋଲିଆ କୁହନ୍ତି ଯେ ଯଦି ପଶ୍ଚିମ ଏସିଆରୁ ତୈଳ ଯୋଗାଣ ଅସ୍ଥାୟୀ ଭାବରେ ବାଧାପ୍ରାପ୍ତ ହୁଏ, ତେବେ ଏହାର ତୁରନ୍ତ ପ୍ରଭାବ ଯୋଗାଣ ଶୃଙ୍ଖଳା ଓ ମୂଲ୍ୟ ଉପରେ ପଡ଼ିବ ।

Leave a Reply

Your email address will not be published. Required fields are marked *