ନୂଆଦିଲ୍ଲୀ,୧୦/୦୧: ତେଲ କିଣାବିକାକୁ ନେଇ ରୁଷ-ଭାରତ-ଚୀନ ଓ ଆମେରିକା ମଧ୍ୟରେ ଲାଗିଛି ବିବାଦ । ଏହାରି ମଧ୍ୟରେ ଆମେରିକା ପାଇଁ ଭେନେଜୁଏଲା ବଡ଼ ଲାଭବାନ ହୋଇପାରେ । ଭେନେଜୁଏଲାକୁ କବଜା କରିବା ପରେ ଏହାର ତେଲକୁ ମନଇଚ୍ଛା ବିକ୍ରି କରିବା ପାଇଁ ଯୋଜନା କଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରୁଷଠାରୁ ଭାରତ ଓ ଚୀନ ସମେତ ଯେକୌଣସି ରାଷ୍ଟ୍ର ତେଲ କିଣନ୍ତୁ ବୋଲି ଆମେରିକା ଆଦୌ ଚାହୁନି । ଏହା ବନ୍ଦ କରିବା ପାଇଁ ଟାରିଫ୍ ପରେ ଟାରିଫ୍ ଲଗାଉଛି । ଭେନେଜୁଏଲାର ତେଲ ଭଣ୍ଡାର ଉପରେ ରାଜୁତି ଆରମ୍ଭ କରିଛି ଆମେରିକା । ଅଶୋଧିତ ତେଲ କିଣିବାକୁ ବିଭିନ୍ନ ରାଷ୍ଟ୍ରଙ୍କୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତାବ ଦେଇଛି । ଆମେରିକା ଶକ୍ତି ସଚିବ କ୍ରିଷ୍ଟୋଫର ରାଇଟ୍ସ ଏହି ସୂଚନା ଦେଇଛନ୍ତି । ତେଲ କିଣାବିକା ନେଇ ଶୁକ୍ରବାର ବିଭିନ୍ନ ତେଲ କମ୍ପାନି ସହ ଆମେରିକା ବୈଠକ କରିଛି ଓ କିଛି ସର୍ତ୍ତାବଳୀ ପ୍ରସ୍ତୁତ କରିଛି ।