ଭୁବନେଶ୍ୱର,୨୭/୧୧: ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଶୀତ ଅଧିବେଶନର ପ୍ରଥମ ଦିନରେ ଆଗତ ହୋଇଛି ଶୋକପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ବିଧାନସଭା ଆରମ୍ଭ ହେବା ପରେ ଶୋକପ୍ରସ୍ତାବ ଆଗତ କରିଥିଲେ ଆଉ ଦିବଙ୍ଗତ ବିଧାନସଭାର ସଦସ୍ୟମାନଙ୍କ ପ୍ରତି ଶୋକବ୍ୟକ୍ତ କରିଥିଲେ । ଯାହାକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇଥିଲେ । ଶୋକପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଦସ୍ୟ ସ୍ୱର୍ଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ତେବେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳର ନେତାଙ୍କ ଅଭିଭାଷଣ ପରେ ବାଚସ୍ପତି ସୁରମା ପାଢ଼ୀ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସମକ୍ୟ ସୂଚନା ଦେଇଥିଲେ । ଆଉ ଏହାପରେ ବିଧାନସଭାକୁ ମୁଲତବୀ ଘୋଷଣା କରିଦିଆଯାଇଥିଲା ।