ଭୁବନେଶ୍ୱର,୧୦/୧୧: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ପୂରା କାର୍ଯ୍ୟକ୍ରମ ଆସିନାହିଁ, ଆସିବାର ସମ୍ଭାବନା ରହିଛି । ଚୁଡାନ୍ତ କାର୍ଯ୍ୟ ସୂଚୀ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଲେ ମନ୍ତ୍ରୀ ।
ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ । ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି ।