ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନୂଆଦିଲ୍ଲୀ,୧୭/୧୧: ବିହାରରେ ଏନ୍‌ଡିଏ ବିଜୟ ହେବା ପରେ ପୁଣି ଥରେ ସରକାର କରିବାକୁ ସଜବାଜ ହେଲାଣି ଏନ୍‌ଡିଏ । ଏହାରି ଭିତରେ ନୀତିଶ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି । ଏହାରି ଭିତରେ ବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସୂଚନାନୁଯାୟୀ, ନଭେମ୍ବର ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାର ଗାନ୍ଧୀ ମଇଦାନରେ ଜୋରଦା‌ର ପ୍ରସ୍ତୁତି ଚାଲିଛି ।  ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି । ବୈଠକ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜ ଭବନ ଯାଇଥିଲେ । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି ।