ପଶ୍ଚିମବଙ୍ଗରେ ନିପା ଭାଇରସ୍‌ ଆତଙ୍କ, ମମତା ବାନାର୍ଜୀଙ୍କ ସହ କଥା ହେଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩/୦୧: ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ ଚିନ୍ତାରେ କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟକୁ ବୈଷୟିକ, ଲଜିଷ୍ଟିକ୍ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି । ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ସଂକ୍ରମଣ ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରାଯାଇଛି । ରାଜ୍ୟ ସରକାରଙ୍କୁ କଣ୍ଟାକ୍ଟ ଟ୍ରେସିଂ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ପଦକ୍ଷେପ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ୧୧ ଜାନୁଆରି ୨୦୨୬ରେ, ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଦୁଇଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଥିଲା । ଆଇସିଏମ୍‌ଆର୍-ଏମ୍ସ କଲ୍ୟାଣୀର ଭିଆର୍‌ଡିଏଲ୍‌ ଲ୍ୟାବରେ ପରୀକ୍ଷଣ ସମୟରେ ଏହି ସନ୍ଦିଗ୍ଧ ମାମଲାଗୁଡ଼ିକୁ ଚିହ୍ନଟ କରାଯାଇଥିଲା ।