ହାତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର

ଭୁବନେଶ୍ୱର, ୨୧/୦୮: ଓଡ଼ିଶାରେ ଜଙ୍ଗଲରେ ସୁରକ୍ଷିତ ଭାବେ ଚଳପ୍ରଚଳ କରିବେ ଗଜରାଜ । ମଣିଷ ପାଖରୁ ହାତୀଙ୍କୁ ରହିବନି ଭୟ । କାରଣ ହାତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବାକୁ ଯାଉଛନ୍ତି ସରକାର । ଦ୍ରୁତ ସହରୀକରଣ ଭିତରେ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ରାତି ପାହିଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ହାତୀ-ମଣିଷ ସଂଘର୍ଷର ଖବର । ଏହି ସଂଘର୍ଷରେ ଜୀବନ ଯାଉଛି । ଓଡ଼ିଶାରେ ହାତୀ କରିଡରର ପୁନଃଗଠନ ସହ ୨୧୦୦ ହାତୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଆସିବ ସ୍ୱତନ୍ତ୍ର ନୀତି । ଏଥିପାଇଁ ଚନ୍ଦକାରେ ବିଶ୍ୱର ପ୍ରଥମ ସେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍ କେନ୍ଦ୍ର ଖୋଲିଛନ୍ତି ସରକାର । ହାତୀର ସୁରକ୍ଷାକୁ ଅଗ୍ରାଧିକାର ଦେଇଛନ୍ତି ସରକାର । ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାରେ ହାତୀ ଓ ମଣିଷ ନିରାପଦରେ ରହିବା ଭଳି ବାତାବରଣ ତିଆରି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।