ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପରିବର୍ତ୍ତନ ହେବ ସିଲାବସ୍ , ପିଲା ପଢିବେ ନୂଆ ବହି !

ଭୁବନେଶ୍ୱର,୦୫/୧୨: ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢିବେ ନାହିଁ, ବରଂ ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଠ୍ୟକ୍ରମ ପରିବର୍ତ୍ତନ ସମ୍ପର୍କରେ ଗୃହରେ ଏକ ପ୍ରଶ୍ନ ପଚାରିଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି ।