ପ୍ରଶ୍ନପତ୍ର କେଳେଙ୍କାରୀ ପ୍ରଘଟ ହୋଇ ପରୀକ୍ଷା ବାତିଲ ନେଇ ଏମିତି ପୋଷ୍ଟ କଲେ ନବୀନ

ଭୁବନେଶ୍ୱର,୦୫/୧୨: ବାରମ୍ବାର ରାଜ୍ୟରେ ବାତିଲ ହେଉଛି ନିଯୁକ୍ତି ପରୀକ୍ଷା। ପ୍ରଶ୍ନପତ୍ର କେଳେଙ୍କାରୀ ପ୍ରଘଟ ହୋଇ ପରୀକ୍ଷା ବାତିଲ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୮ମାସରେ ୧୮ ପରୀକ୍ଷା ବାତିଲ ହେବା ନେଇ ସରକାରଙ୍କୁ ଘେରିଛନ୍ତି । ଗତକାଲି ଏଏନ୍‌ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ଏଏନଏମ ଓ ଜିଏନଏମର ୧୨ ତାରିଖ ଯାଏଁ ହବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଯାହାପର ଠାରୁ ରାଜନୀତି ବି ତେଜିବାରେ ଲାଗିଛି। ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ସରକାର ଆସିବା ପରେ ଏପରି କାହିଁକି ହେଉଛି ବୋଲି ବିଜେଡି ପ୍ରଶ୍ନ କରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହେଉ ଯାଉଛି । ଏହାକୁ ନେଇ ଆଗକୁ ବିଜେଡି ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି । ସେପଟେ କଂଗ୍ରେସ କହିଛି, ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି । ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ପରିଶ୍ରମ କରିବା ସହ ପିଲା ବି ପରିଶ୍ରମ କରୁଛନ୍ତି । ସରକାର ଆଶାୟୀ ଚାକିରିଆଙ୍କ ସହ ଏପରି ଖେଳ ନ ଖେଳନ୍ତୁ ବୋଲି କଂଗ୍ରେସ କହିଛି । ବିରୋଧୀଙ୍କ ପ୍ରଶ୍ନରେ ଜବାବ ରଖିଛନ୍ତି ବିଜେପି ବିଧାୟକ । କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା । ନବୀନ ପଟ୍ଟନାୟକ ବୋଧେ ଚାହୁଁଛନ୍ତି ଏବେ ସେମିତି ହେଉ । ସ୍ୱଚ୍ଛ ପରୀକ୍ଷା ସରକାର କରିବାକୁ ଚାହୁଁଛନ୍ତି। ନବୀନ ପଟ୍ଟନାୟକ ବିଚଳିତ ଯେ ତାଙ୍କ ଦଳର ଭବିଷ୍ୟତ ଅନ୍ଧାରରେ ଅଛି ।