ଭୁବନେଶ୍ୱର,୧୦/୦୬: ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତ ୧ ବର୍ଷ ଭିତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି ସେନେଇ ଗୋଟି ଗୋଟି କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଠି ସେ ନିଜ ସରକାର ସହିତ କେନ୍ଦ୍ରର ମୋଦୀ ସରକାରର ଉପଲବ୍ଧି ବର୍ଣ୍ଣନା କରିଛନ୍ତି । ସରକାରଙ୍କ ବର୍ଷ ପୂର୍ତ୍ତିକୁ କାଉଣ୍ଟର କରିବା ପାଇଁ ବିଜେଡି ଆରମ୍ଭ କରିଛି ଜନଜାଗରଣ ଅଭିଯାନ । ଶଙ୍ଖ ଭବନରେ ଏଥିପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତୃମଣ୍ଡଳୀ ସାମିଲ ହୋଇଥିଲେ । ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ସ୍ଲୋଗାନ୍ ‘ କଥା ଦେଇ, ବ୍ୟଥା ଦେଲେ ବିଜେପି ସରକାର’ ।ଏହି ଅବସରରେ ବିଏସ୍କେୱାଇ କାର୍ଡ, ମିସନଶକ୍ତି ମହିଳାଙ୍କ କଥା, ଧାନରେ କଟ୍ନି ଛଟନି ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ମୋହନ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଲମ୍ବା ଭାଷଣ ଓ ବଡ଼ ବଡ଼ ବିଜ୍ଞାପନରେ ଆସେ ନାହିଁ ବିକାଶ ।