ନୂଆଦିଲ୍ଲୀ,୧୯/୦୩: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଗତ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଧୀରେ ଧୀରେ ସମଗ୍ର ବିଶ୍ୱକୁ ନିଜ କବଳକୁ ନେବାରେ ଲାଗିଛି । ଇସ୍ରାଏଲ ପକ୍ଷରୁ ଇରାନର ପ୍ରମୁଖ ଗ୍ୟାସ ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରାଯିବା ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇ ଆରବ ଦେଶଗୁଡ଼ିକର ତୈଳ ଏବଂ ଗ୍ୟାସ ଭଣ୍ଡାର ଉପରେ ଆକ୍ରମଣ କରିଛି । ଏହି ପରିସ୍ଥିତିରେ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରୁଷ ଏବେ ଭାରତକୁ ଏହି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛି। ରୁଷର କହିବା ଅନୁଯାୟୀ, ଭାରତ ଭଳି ଏକ ପ୍ରଭାବଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ହିଁ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ରୁଷ ଅଭିଯୋଗ କରିଛି ଯେ ଆମେରିକା ଓ ଇସ୍ରାଏଲ ବିନା କୌଣସି ଠୋସ କାରଣରେ ଇରାନ ଉପରେ ଆକ୍ରମଣ କରିଛନ୍ତି । ଏହି ଯୁଦ୍ଧର ସବୁଠାରୁ ବଡ଼ ପ୍ରଭାବ ଭାରତର ଶକ୍ତି ଆବଶ୍ୟକତା ଉପରେ ପଡ଼ିଛି। ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ୍ ପ୍ରଣାଳୀ’ ଅବରୋଧ ହେବା ଫଳରେ ଉପସାଗରୀୟ ଦେଶରୁ ଆସୁଥିବା ତୈଳ ଓ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।