ଶ୍ରୀମନ୍ଦିର ମେଘନାଦ ପାଚେରି ଯୋଡ଼େଇରେ ଫାଟ

ଭୁବନେଶ୍ୱର,୧୪/୧୨: ଶ୍ରୀମନ୍ଦିର ମେଘନାଦ ପାଚେରି ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି । ପାଚେରି ଉପରେ ଚରିଗଲାଣି ଶିଉଳି। ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା । ଗ୍ରାଉଟିଂ କରାଯିବା ପରେ ଡ୍ରେନ୍‌ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା । ମାତ୍ର ଗ୍ରାଉଟିଂ ମେଘନାଦ ପାଚେରିୁ ବର୍ଷେ ବି ସୁରକ୍ଷା ଦେଇପାରିଲା ନାହିଁ । ପୁଣି ୩ଟି ସ୍ଥାନରେ ଡ୍ରେନ୍‌ ପାଣି ଝରି ଶିଉଳି ଚରିଗଲାଣି । ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ନିଜେ ଅସୁରକ୍ଷିତ ହୋଇପଡ଼ିଲାଣି । ରାମଦୟା ପରିଷଦର ଠିକ୍‌ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍‌ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ଏହା ଯୋଡ଼େଇକୁ ପ୍ରଭାବିତ କରୁଥିବା ଜଣାପଡିଛି ।