ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ଜୋରଦାର ସର୍ଚ୍ଚ ଅପରେସନ ଜାରି, ୧୭ ନକ୍ସଲ ସଫା ସହ ବିପୁଳ ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର,୨୪/୦୧: ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍‌ । ନିୟୋଜିତ ହୋଇଛନ୍ତି ସିଆରପିଏଫ୍‌, ଝାରଖଣ୍ଡ ଜାଗୁଆର , କୋବ୍ରା ବାହିନୀ ଓ ସ୍ଥାନୀୟ ପୁଲିସ । ଦୁଇଦିନ ହେଲା ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । ଗୁରୁବାର ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୫ ନକ୍ସଲ ନିହତ ହୋଇଥିଲେ । ଶୁକ୍ରବାର ସରଣ୍ଡା ଜଙ୍ଗଲରୁ ଅନ୍ୟ ଦୁଇ ଟପ୍ କ୍ୟାଡର୍ ନକ୍ସଲଙ୍କ ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି । ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର, ରାଇଫଲ୍‌, ଇନ୍‌ସାସ୍‌ ରାଇଫଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବାକୁ ହେଲିକେପ୍ଟର ଓ ଡ୍ରୋନ୍‌ ବ୍ୟବହାର କରାଯାଇଛି । ଆକାଶ ମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପ୍ରାଥମିକ ତଦନ୍ତରୁ ସରଣ୍ଡା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ମଛୁ ସମେତ ୬୦ ପାଖାପାଖି ନକ୍ସଲ ଲୁଚି ରହିଥିବା ଜଣାପଡ଼ିଛି ।