ନୂଆଦିଲ୍ଲୀ,୦୮/୦୩: କିଛି ଦିନ ମଧ୍ୟରେ ବଙ୍ଗଳା ବିଧାନସଭା ନିର୍ବାଚନ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଲୋକଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ରାଜ୍ୟର ବେକାର ଯୁବକଯୁବତୀମାନଙ୍କୁ ମାସିକ ୧୫୦୦ ଟଙ୍କା ବେକାରୀ ଭତ୍ତା ଦିଆଯିବ। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ୧୦ମ ଶ୍ରେଣୀ ପାସ୍ କରିଥିବା ଏବଂ ୨୧ରୁ ୪୦ ବର୍ଷ ବୟସ ବର୍ଗର ହୋଇଥିବା ଆବଶ୍ୟକ। ମମତା କହିଛନ୍ତି, ସରକାର ପ୍ରଥମେ ଏହି ଯୋଜନା ଏପ୍ରିଲରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ମାର୍ଚ୍ଚ ୮ ମହିଳା ଦିବସ ଥିବାରୁ ଉପହାରସ୍ବରୂପ ତା’ର ଅବ୍ୟବହିତ ପୂର୍ବରୁ ଏହାକୁ ତତ୍କାଳ (ମାର୍ଚ୍ଚ ୭ରୁ) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୋଟର ତାଲିକାରୁ ନିର୍ବାଚନ କମିସନ ନାମ ହଟାଇବା ବିରୋଧରେ ଆୟୋଜିତ ଧାରଣାସ୍ଥଳରୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।