ଆଜି ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମଧ୍ୟ ଲାଗି ହେବ ମକର ଚାଉଳ

ଭୁବନେଶ୍ୱର,୧୪/୦୧: ଆଜି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମହାପ୍ରଭୁଙ୍କୁ ଲାଗି ହେବ ମକର ଚାଉଳ।ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଉତ୍ତର ଭାରତରେ ଏହାକୁ ଲୋହରୀ କୁହାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ପାଇଁ ଆଜି ଘରେ ଘରେ ପ୍ରସ୍ତୁତ ହେବ ମକର ଚାଉଳ । ଠାକୁରଙ୍କ ପାଖରେ ଭୋଗ ଲାଗିବା ସହ ମନ୍ଦିର ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ ଏହିଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ ।