ଭୁବନେଶ୍ୱର, ୨୨/୦୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ରହିଥିଲେ । ଅଣସର ଘରେ ଚତୁର୍ଦ୍ଧାମୂରତିଙ୍କର ଗୁପ୍ତ ସେବା ହୋଇଥିଲା । ଅନେକ ସେବାସୁଶ୍ରୁଷା ପାଇ ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି । ଆଜି ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବାକୁ ରାଜପ୍ରାସାଦ ଯାଇଛନ୍ତି । ଦଇତାପତି ସେବକ, ପତିମହାପାତ୍ର ସେବକ ମାନେ ଆଜି ରୁପା ଥାଳିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯାଇଛନ୍ତି । ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେଇଛନ୍ତି । ଗତକାଲି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହେବା ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦଶମୀରେ ଶଯ୍ୟା ଛାଡି ଅଣସର ଘରେ ଚକାରେ ବିଜେ ହୋଇଥିଲେ ଶ୍ରୀଜିଉ ।