ଭୁବନେଶ୍ୱର,୨୧/୦୯: ଆଜି ମହାଳୟା ଅମାବାସ୍ୟା। ପିତୃପକ୍ଷର ଶେଷ ଦିନରେ ଚାଲିଛି ପିଣ୍ଡଦାନ । ନାଭିଗୟା ଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ପର୍ଯ୍ୟନ୍ତ ନାଭିଗୟା ଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଦୈନିକ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ କରୁଥିବା ବେଳେ ଆଜି ହେଉଛି ଶେଷଦିନ । ସକାଳୁ ସକାଳୁ ପିଣ୍ଡଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ଯାଏ ଚାଲିବ। ସେପଟେ ଆସନ୍ତାକାଲି ମା’ଙ୍କ ରଥ ପ୍ରତିଷ୍ଠା ହୋଇ ୯ଦିନ ଧରି ବେଢ଼ା ପରିକ୍ରମା କରିବ ।
ସେପଟେ ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ବର୍ଷକରେ ଥରେ ଏହି ଦୁର୍ଲଭ ବେଶରେ ମା’ଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ସେପଟେ ଶ୍ରୀକ୍ଷେତ୍ର ପୁରୀରେ ମହାଳୟାର ମାହୋଲ । ମହୋଦଧି ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିରର ଉତ୍ତରଦ୍ବାରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୁଜା ଅବସରରେ ପ୍ରଭୂ ମାଧବ ଦେବୀ ଦୁର୍ଗାଙ୍କୁ ସାଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥା’ନ୍ତି । ମହାଳୟା ଅବସରରେ ପୁରୀରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱର ବିନ୍ଦୁ ସାଗରରେ ମଧ୍ୟ ପିଣ୍ଡଦାନ କରିବା ପାଇଁ ଭିଡ଼ ଜମିଛି ।