ଭୁବନେଶ୍ୱର,୦୭/୧୦: ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ସେଥିପାଇଁ ୧ ମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତ୍ତିକ ବ୍ରତ । ପୁରୀରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ଦେଖିବାକୁ ମିଳିଛି । ହବିଷ୍ୟାଳିମାନେ ନିଜ ପରିବାର ପରିଜନଙ୍କୁ ଛା଼ଡି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରକୁ । ଏଠି ରହି ମାସସାରା ମହାପ୍ରଭୁଙ୍କୁ ଦର୍ଶନ କରି ହବିଷ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ କରିଛନ୍ତି କାର୍ତିକ ବ୍ରତ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ପ୍ରତିଦିନ ଭୋର ୪ ଟାରେ ଦ୍ୱାର ଫିଟାଯାଇ ମଙ୍ଗଳଆରତୀ ହେବା ପରେ ରାଧାଦାମୋଦର ବେଶ ଓ ବାଳଧୂପ ନୀତି କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ଚଳିତ ବର୍ଷ ଅଢେଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ମାଗଣାରେ ରହିବା ପାଇଁ ପୁରୀର ୪ଟି ଜାଗାରେ ବ୍ୟବସ୍ଥା କରାଯାଇଛି ।