ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର, ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ,୧/୦୭: ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । ଆଜିଠାରୁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନିଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି । ଚଳିତ ମାସରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ । ସେହିପରି ନୋଏଡାରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୭୪୭.୫୦ ଟଙ୍କା ହେବ । କୋଲକାତାରେ ଏଲ୍‌ପିଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା ହେବ । ମୁମ୍ବାଇରେ ଏବେ ଏହା ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ହେବ ।