ଭୁବନେଶ୍ୱର,୨/୧୨: ଏଣିକି ରାଜ୍ୟପାଳଙ୍କ ସରକାରୀ ଆବାସକୁ ରାଜଭବନ ବଦଳରେ ଲୋକଭବନ କୁହାଯିବ । ସେହି ଅନୁସାରେ ପୁରୀ ଆଉ ଭୁବନେଶ୍ୱରରେ ଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେବା ସହିତ, ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି । ତେବେ ଏହା ପୂର୍ବରୁ ରାଜ୍ୟର କ୍ଷମତାକେନ୍ଦ୍ର ଭାବେ ପରିଚିତ ସଚିବାଳୟର ନାଁ ମଧ୍ୟ ବଦଳାଇଥିଲେ ନବୀନ ସରକାର । ସେତେବେଳେ ସଚିବାଳୟ ବଦଳରେ ଏହାକୁ ଲୋକସେବା ଭବନରେ ନାମିତ କରାଯାଇଥିଲା । ସେହିପରି ସଚିବାଳୟ ସାମ୍ନା ରାସ୍ତାକୁ ମଧ୍ୟ ସଚିବାଳୟ ମାର୍ଗ ବଦଳରେ ଲୋକସେବା ମାର୍ଗ କୁହାଯାଇଥିଲା । ଯାହାପରେ ଦୀର୍ଘ ବର୍ଷ ଧରି ଯେଉଁ କୋଠା ସେକ୍ରେଟେରିଏଟ୍ ନାଁରେ ପରିଚିତ ଥିଲା, ସେହି କୋଠା ହୋଇଯାଇଥିଲା ଲୋକସେବା ଭବନ । ଖାଲି ରାଜ୍ୟରେ ନୁହେଁ କେନ୍ଦ୍ରରେ ମଧ୍ୟ ମୋଦୀ ସରକାର ଏମିତି ଅନେକ ପରିବର୍ତ୍ତନ କରିସାରିଛନ୍ତି । ଏହା ପୂର୍ବରୁ ମୋଦୀ ସରକାର ଦିଲ୍ଲୀରେ ରାଜପଥର ନାଁ ପରିବର୍ତ୍ତନ କରିଥିଲେ । ଯାହାକୁ ରାଜପଥ ବଦଳରେ କର୍ତ୍ତବ୍ୟ ପଥ ବୋଲି ନାମିତ କରାଯାଇଥିଲା । ସେହିପରି କେନ୍ଦ୍ର ସଚିବାଳୟର ନାଁକୁ ମଧ୍ୟ କର୍ତ୍ତବ୍ୟ ଭବନ ଭାବରେ ନାମିତ କରାଯାଇଛି ।