ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ଚିଠି

ନୂଆଦିଲ୍ଲୀ, ୧୧/୦୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟସଭା ଓ ଲୋକସଭା ବିରୋଧୀ ଦଳ ନେତା ଚିଠି ଲେଖିଛନ୍ତି। ସଂସଦରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ଯେ ତୁରନ୍ତ ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୂର ଏବଂ ଆମେରିକା ପକ୍ଷରୁ ପ୍ରଥମେ ଅସ୍ତ୍ରବିରତି କଥା ଉଲ୍ଲେଖ ସମ୍ପର୍କରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ।

ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ଆପଣଙ୍କର ମନେଥିବ ଯେ ୨୮ ଏପ୍ରିଲ ୨୦୨୫ରେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ । ଏବେ ଅପରେସନ ସିନ୍ଦୂର ଏବଂ ଅସ୍ତ୍ରବିରତି ଘୋଷଣା ହେବା ପରେ ସମସ୍ତ ବିରୋଧୀ ଦଳ ସର୍ବସମ୍ମତିକ୍ରମେ ପୁନଃର୍ବାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରୁଛି ।

Leave a Reply

Your email address will not be published. Required fields are marked *