ନୂଆଦିଲ୍ଲୀ, ୨୭/୦୮: ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ବିଗିଡ଼ିଛି । ବୁଧବାର ଦିନ କାଟରାରେ ଥିବା ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଏକ ବଡ଼ ଧରଣର ଭୂସ୍ଖଳନ ହେବାରୁ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଆହତ ହୋଇଛନ୍ତି । ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡ଼ା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କାଟରା ରାଜପଥ ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଛି । ଏଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି ।ଗତକାଲି ତ୍ରିକୂଟ ପାହାଡ଼ରେ ଥିବା ମନ୍ଦିରର ରାସ୍ତାର ଏକ ବଡ଼ ଅଂଶ ମାଟି ଅତଡ଼ାରେ ପରିଣତ ହୋଇଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆଶଙ୍କା କରାଯାଉଛି ଯେ ମାଟି ଅତଡ଼ା ତଳେ ଆହୁରି ଅନେକ ଲୋକ ଫସି ରହିଥାଇ ପାରନ୍ତି । ଲଗାଣ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରରେ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି ।