ନୂଆବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟା ଯିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ୧୭/୧୨: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ଘୋଷଣା । ନୂଆବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟା ଯିବ । ସେ କହିଛନ୍ତି ରାଜ୍ୟ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ସାରା ରାଜ୍ୟରେ ୬ ଲକ୍ଷ ୩୯ ହଜାର କାର୍ଡ ବଣ୍ଟା ସରିଛି । ଆହୁରି ୧୫ ଲକ୍ଷ କାର୍ଡ ଆମ ପାଖରେ ଅଛି । ପ୍ରାୟ ୧୫ ଲକ୍ଷ ୩୩ ହଜାର ଆବେଦବ ଆସିଛି । ସେଥିରୁ ଅଯୋଗ୍ୟଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟଙ୍କୁ ରାସନ କାର୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାପୂର୍ବରୁ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି।