ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଉପଚାର, ଆଜି ମହାପ୍ରଭୁଙ୍କୁ ଲାଗି ହେବ ଖଳିପ୍ରସାଦ

ଭୁବନେଶ୍ୱର,୨୧/୦୬: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଉପଚାର । ଗତକାଲି ଚକାବିଜେ ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯାଇଛି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳିପ୍ରସାଦ ଲାଗି ହେବ । ଏକାଦଶୀରେ ସୁଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବକଙ୍କ ଦ୍ଵାରା ମହାପ୍ରଭୁଙ୍କୁ ଲାଗି କରିବାର ଵିଧି ରହିଛି । ଦଇତାପତିଙ୍କ ଦ୍ୱାରା ମଧ୍ୟହ୍ନ ଧୂପ ପରେ ଏହା ଲାଗି କରାଯାଇ ବାହାର ସର୍ବାଙ୍ଗ ବେଶ କରାଯିବ । ସେପଟେ ଆସନ୍ତାକାଲି ଦ୍ୱାଦଶୀ ତିଥିରେ ସକାଳଧୁପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିବେ ଦଇତାପତି ସେବାୟତ । ଆଉ ତାପର ଦିନ ତ୍ରୟୋଦଶୀ ତିଥିରେ ଘଣାଲାଗି ନିତି ମଙ୍ଗଳଆଳତୀ ପୂର୍ବରୁ ଶେଷ କରାଯିବ। ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ରଙ୍କ ଦ୍ୱାରା ବନକ ଲାଗି ନିତି କରିବା ପରେ ଅମାବାସ୍ୟା ତିଥିରେ ହେବ ନବଯୌବନ ଦର୍ଶନ। ସୂଚନାଯୋଗ୍ୟ ଯେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ପାଣିରେ ସ୍ନାନ ପରେ ଅସୁସ୍ଥ ଅଛନ୍ତି ମହାପ୍ରଭୁ ।