ଭୁବନେଶ୍ୱର,୧୧/୦୧: ଆଜିଠାରୁ ଆକାଶରେ ସୌର୍ଯ୍ୟମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ‘ବୃହସ୍ପତି’ ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ । ଜାନୁଆରି ୧୦ ତାରିଖରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ପୃଥିବୀ ଏକ ସରଳରେଖାରେ ଅବସ୍ଥାପିତ ହେବ । ଏହି ସମୟରେ ପୃଥିବୀ ଓ ବୃହସ୍ପତି ମଧ୍ୟରେ ଦୂରତା ସବୁଠାରୁ କମ୍ ରହିବ । ସାଧାରଣତଃ ଏହି ଦୂରତା ଅଧିକ ରହୁଥିବା ବେଳେ ଏବେ ଏହା ହ୍ରାସ ପାଇ ପ୍ରାୟ ୬୦ କୋଟି କିଲୋମିଟରକୁ ଚାଲିଆସିବ । ଫଳରେ ବୃହସ୍ପତି ବର୍ଷର ଅନ୍ୟ ଯେକୌଣସି ସମୟ ଅପେକ୍ଷା ଅଧିକ ଉଜ୍ଜ୍ବଳ ଏବଂ ସ୍ପଷ୍ଟ ଦେଖାଯିବେ । ପ୍ରତି ୧୩ ମାସରେ ଥରେ ବୃହସ୍ପତି ପୃଥିବୀର ଏଭଳି ନିକଟତର ହୋଇଥାନ୍ତି । ଆକାଶରେ ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ ହେବ । ଏହା ଏକ ତାରା ପରି ଝିଲ୍ମିଲ୍ ନକରି ଏକ ସ୍ଥିର, ଉଜ୍ଜ୍ବଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଶୋଭା ପାଇବ । ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାର ଆଗମନ ହେବ ଏବଂ ମଧ୍ୟରାତ୍ରି ବେଳକୁ ଏହା ଠିକ୍ ମୁଣ୍ଡ ଉପରେ ରହିବ । ସେହି ସମୟରେ ଏହା ଆକାଶର ସବୁଠାରୁ ଉଜ୍ଜ୍ବଳ ବସ୍ତୁ ଭାବେ ଦୃଶ୍ୟମାନ ହେବ । ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍ର ଆବଶ୍ୟକତା ପଡ଼ିବ ନାହିଁ ।